Skip to content

କବିତା

ଆସ ମା ମମତାମୟୀ

ଆସ ମା ମମତାମୟୀ

ଜହ୍ନତ ବିଭୋର ତାରାତ ବିଭୋର

ବିଭୋର ଆକାଶ ଛାତି

ହଟିଯାଏ ଗାଢ଼ ଅନ୍ଧାର ଜୋଚ୍ଛନା

ଝଲମଲ କରେ ରାତି ||

ନଈପଠା ଧାରେ କାଶତଣ୍ଡୀ ଭାଙ୍ଗେ

ଦେହର ଅଳସପଣ

ଗଛତ ଧରିଛି ଫୁଲ ଫଳ କୋଳି

ସୁନ୍ଦର ଦିଶୁଛି ଵଣ ||

ନୂଆ ଧାନକ୍ଷେତ ଦେଖି ଗାଏ ଗୀତ

ହିଡମୁଣ୍ଡେ ଵସି ଚାଷୀ

ଧଳାମେଘ ଖଣ୍ଡ ଆକାଶ ଛାତିରେ

ଦିନ ରାତି ଯାଏ ଭାସି ||

ମାଆଙ୍କର ଆଗମନେ ଶରତଯେ

ବଢାଏ ପ୍ରକୃତି ଶୋଭା

ବଗିଚା ଫୁଲରେ ବସେ ପ୍ରଜାପତି

ଫୁଲ ଦିଶେ ମନଲୋଭା ||

ଆସୁଛନ୍ତି ମାଆ ମେଢ଼ ମଣ୍ଡପରେ

ପୂଜାତ ପାଇବେ ବସି

ମମତାମୟୀଙ୍କ ଆଗମନ ଜାଣି

ଭକତ ଦେଲେଣି ହସି ||

ଜହ୍ନିଫୁଲ ଫୁଟି ଦିଶେ ଜକ ଜକ

ଦେଖି ମନ ଯାଏ ଲାଖି

କୁଆଁରୀ କନିଆ ଚାହିଁଛି ପୁନିଅଁ

ରାତିକି ଅତର ମାଖି ||

ଗଙ୍ଗଶିଉଳି ତା ବାସରେ ମୋହୁଛି

ମଣିଷ ପରାଣ ମନ

ଶରତ କରିଚି ସରସ ସୁନ୍ଦର

ନଈ ଝର ବିଲ ବନ ||