କବିତା
ଜେଜେ ବାପା

ଗାଆଁରେ ଆମର ପୁରୁଣା ଘର
ଘର ମଝିଟାରେ ମାଟି ଦୁଆର
ନିତି ଲିପାପୋଛା ଗୋବର ଢାଳି
ଫୁଲଗଛେ ଫୁଲ ଭଳିକିଭଳି
ଚଉରାରେ କଳା ତୁଳସୀ ଗଛ
ଦୁଆର ପାଚେରୀ ମଣିଷେ ଉଚ୍ଚ।
ଜେଜେବାପା ନିତି ସକାଳୁ ଉଠି
ପ୍ରାର୍ଥନା କରନ୍ତି ବସି ସେଇଠି
ସୂରୁଜ ଉଇଁଲେ ପୂରୁବ ଦିଗେ
ଜୁହାର କରନ୍ତି ଉଠିଣ ଆଗେ
ତାପରେ ଖବର କାଗଜ ପଢି
ଦେଶ ଦୁନିଆକୁ ଯାଆନ୍ତି ମାଡ଼ି।
କେବେ ଗଲେ ଗାଆଁ ବଜାର ବୁଲି
ଚଣାଭଜା ମୁଢ଼ିମୁଆଁ ପିଜୁଳି
ଆଣନ୍ତି ଘରକୁ ଡାକନ୍ତି ମୋତେ
ଖୁଆଇ ଦିଅନ୍ତି ଆପଣା ହାତେ
ଶରଧା ସାଙ୍ଗକୁ କଡ଼ା ଶାସନ
ଜେଜେବାପା ଜାଣିଛନ୍ତି ଏସନ।
ବାପା ମାଆ ଜେଜେମା ଭଉଣୀ
ଖାଇବା ପିଇବା ଓଷଦ ପାଣି
ଜେଜେବାପାଙ୍କର ବୁଝନ୍ତି ନିତି
ସନମାନ ସହ କରନ୍ତି ଭକ୍ତି
ସିଏ ପରା ଜେଜେବାପା ଠାକୁର
ତାଙ୍କରି ଆଶିଷେ ଘର ସୁନ୍ଦର।
