Skip to content

ଗଳ୍ପ

ଘୋଡା ଓ ଶଗଡିଆ

ଘୋଡା  ଓ ଶଗଡିଆ

ଖରାବେଳ। ଡହଡହ ଖରାରେ ମେଦିନୀ ଯେପରି ଫାଟି ଯାଉଛି। ଏକ ଶଗଡିଆ ଏକ ମାଲବାହୀ ଶଗଡରେ ବହୁତ ଗୁଡାଏ କାଠଗଡକୁ ଲଦି ସହରକୁ ଯାଉଥାଏ। ଶଗଡଟିକୁ ଗୋଟିଏ ମାତ୍ର ଘୋଡା ଟାଣୁଥାଏ। ବୟସ ଚାପରେ ଘୋଡାଟି କ୍ରମଶଃ ବୁଢା ହୋଇ ଗଲାଣି।ଅଧିକନ୍ତୁ ଠିକ୍ ସମୟରେ ନ ଖାଇଥିବା ହେତୁ ବହୁତ ଦୁର୍ବଳ ହୋଇ ଯାଇଥାଏ। ଖରା ହେତୁ ତାକୁ ଶୋଷ ମଧ୍ଯ କରୁଥାଏ। ତେଣୁ କାଠବୋଝର ଓଜନକୁ ସମ୍ଭାଳି ନ ପାରି ବାଟରେ ଘୋଡାଟି ଗୋଟିଏ ସ୍ଥାନରେ ଲଥ୍ କରି ବସି ପଡିଲା। ପାଦେ ବି ଘୁଞ୍ଚିଲା ନାହିଁ।ମାତ୍ର ନିର୍ଦ୍ଦୟ ଶଗଡିଆଟି ତାର ଦୁଃଖ ବୁଝିବା ପରିବର୍ତ୍ତେ ତାକୁ ବାରମ୍ବାର ପ୍ରହାର ଓ ଗାଳି ମଧ୍ଯ ଦେଲା। ଘୋଡାଟିକୁ କିଛି ଖାଇବାକୁ କିମ୍ବା ପିଇବାକୁ ପାଣି ନ ଦେଇ, ଅନ୍ଯ ଏକ ଟ୍ରାକ୍ଟରରେ ମାଲତକ ବୋଝେଇ କରି ସହରକୁ ଚାଲିଗଲା।

ଘୋଡାଟି ପେଟ ବିକଳରେ ସେଠାରେ ପଡି ରହିଲା।ଅଧିକନ୍ତୁ ଶୋଷରେ ତାର ତଣ୍ଟି ଶୁଖି ଯାଉଥାଏ। ଏହି ସମୟରେ ଦୁଇଟି ଛୋଟ କୁକୁର ଛୁଆ ସେଇ ବାଟ ଦେଇ ଯାଉଥିଲେ।ଘୋଡାଟିର ଏ ପ୍ରକାର ଅବସ୍ଥା ଦେଖି ତାଙ୍କ ମନରେ ଭୀଷଣ ଦୟା ଆସିଲା। ସେ ଦୁହେଁ ପାଖ ଯାଗାରୁ ପାଣି ଆଣି ତା ପାଟିରେ ପାଣି ଦେଲେ ଓ କଅଁଳ ଘାସ ଖାଇବାକୁ ଦେଲେ। ଘାସ ଓ ପାଣି ପାଇ ଘୋଡାଟି ଅତ୍ୟନ୍ତ ଖୁସି ହେବା ସହିତ ତା ଦେହରେ ଶକ୍ତି ଆସିଲା।ଦିନେ ଦୁଇଦିନ ଉତ୍ତାରୁ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଚଲାବୁଲା କଲା।ପରିଶେଷରେ କୁକୁର ଛୁଆ ଦୁଇଟି ଉପରେ ଅତ୍ଯନ୍ତ ଖୁସି ହୋଇ ତାଙ୍କୁ ନିଜ ପିଠିରେ ବସାଇ ଶସ୍ୟକ୍ଷେତ୍ର ସାରା ବୁଲାଇ ଆଣିଲା।

ପରେ ଶଗଡିଆଟି କୁକୁର ଛୁଆ ଦୁହିଁଙ୍କ ଠାରୁ ଶିକ୍ଷାଲାଭ କଲା।ପରିଶେଷରେ ନିଜର ଭୁଲ ବୁଝିପାରି ଘୋଡାଟିକୁ ସ୍ନେହଶ୍ରଦ୍ଧା ଦେଇ ଘରେ ରଖିଲା ଓ ନିଜର କାମରେ ଲଗାଇଲା।