Skip to content

କବିତା

ଛୁଟିତ ଛୁଟି

ଛୁଟିତ ଛୁଟି

ଛୁଟିତ ଛୁଟି ଦଶରା ଛୁଟି

ସବୁ ଛୁଟିଠାରୁ ଭଲ

ଅଳପ ବରଷା ଅଳପଶୀତ

ରଙ୍ଗ ବେରଙ୍ଗର ଫୁଲ

ଆସିବୁକି ସାଙ୍ଗ ସହର ଭୁଲି

ଗାଁ' ରେ ଘେରାଏ ଯାଆନ୍ତୁ ବୁଲି

ଲାଗନ୍ତା ଟିକିଏ ଭଲ l

ସବୁଜିଆ କ୍ଷେତ ନୀଳ ପାହାଡ଼

କୂଳୁ କୂଳୁ ବିଲ ପାଣି,

ଅଂଧୁଲି, ମୁଗୁରା,ଖଇଁଚି, ବଇଚି

ଚୁନା ଚୁନା ମାଛ ଖଣି l

ଉଷୁମ ଭାତକୁ ମାଛବେସର

ମା 'କରିଛନ୍ତି ଆମ୍ବ ଆଚାର

ପାଟିରୁ ବହିବ ପାଣି l

ବଣ କଡେ ଗୋଟେ ଖାଲି ପଡିଆ

ସାଧବ ବୋହୁଙ୍କ ମେଳ

ନାଲି ମଖମଲି ସାଧବ ବୋହୂ

ଚାଲୁଥିବେ ଦଳ ଦଳ

ଯତନ କରି ହାତରେ ଧରି

ଛାଡ଼ିଦେବା ପୁଣି ଥିଇରି କରି

ସମସ୍ତେ କହିବେ ଭଲ l

ଗାଁ ରାସ୍ତା ନୁହେଁ ସହର ପରି

ଦେଖି ଚାଲିବାକୁହୁଏ

ବାଟୋଇ ମାନଙ୍କୁ ସ୍ୱାଗତ ପାଇଁ

କାଶତଣ୍ଡୀ ହସୁଥାଏ l

ଗାଁ ମୁଁଣ୍ଡେ ଅଛି ନୂଆ ପୋଖରୀ

କଇଁ ଫୁଲେ ଏବେ ରହିଛି ଭରି

ଦେଖିଲା ପରିକା ସିଏl

ଦେଖୁଥିବା ଦୂର ପାହାଡ଼ ମାଳ

ବାହାର ପିଣ୍ଡାରେ ବସି

ଧଳା ଧଳା ଯେତେ ଶରତ ମେଘ

କେମିତି ହୁଅନ୍ତି ଘଷି l

ପାଣି ଢାଳିଦେବ ବରଷାରାଣୀ

ଗଡିଯାଉଥିବ ଓଳିଚ୍ଛା ପାଣି

ଆମ ଡ଼ଙ୍ଗା ଯିବ ଭାସି l

ମନା କରିବୁନି ଆସିବୁ ସାଙ୍ଗ

ଦେଖିବା ଦଶରା ଜାତ

ମା'ରାନ୍ଧିଦେବେ ବାସ ଚାଉଳରେ

ଖାଇବା ଅରୁଆ ଭାତ

ଦେଶି ଗୁଆଘିଅ ଦେବେ ପକାଇ

କଳା ମୁଗ ଜାଇ ଡାଲମା ଖାଇ

ଗାଁ କୁ ମଣିବୁ ମିତ l