କବିତା
ଆମେ ଆଙ୍କିଦେବୁ ନୂଆ ଆଲୋକ

ସୃଷ୍ଟି ହୋଇଛୁ ଏ ଧରା ପୃଷ୍ଠରେ
ଅମୃତ ତୋଳି ପାରିବୁ ଦିନେ,
ଚମକୁ ବିଜୁଳି ଆସୁ ବଜ୍ର ବାଡ଼ି
ପଛେଇବୁ ନାହିଁ ଆମ ଜୀବନେ ।
ଆମେ ଆଙ୍କିଦେବୁ ଧରଣୀ ବୁକୁରେ
ନୂଆ ସମ୍ଭାବନା, ସୃଷ୍ଟି ଧାରା,
ପୁଲକି ଉଠିବ ଦଶ ଦିଶ ଦେଶ
ଚମକି ଉଠିବ ବିଶ୍ୱ ସାରା ।
ଦୁରେଇ ପାରିବୁ ଅମା ଅନ୍ଧକାର
ଜ୍ଞାନ ର ଦୀପାଳି ଦେବୁ ଯେ ଜାଳି,
ଶସ୍ୟ ଶ୍ୟାମଳା ହୋଇବ ଏ ମାଟି
ମନ ମୁନ ଆମ ଦେବୁ ଯେ ଢ଼ାଳି ।
ପ୍ରତି ସକାଳ ରେ ସୁନା ଫୁଲ ହୋଇ
ଫୁଟିବୁ ପାଖୁଡା କେତେ ମେଲି,
ସୂରୁଜ, ଆକାଶ ଦେଖିବୁ ନୟନେ
ପବନରେ ନିତି ଝୁଲି ଝୁଲି ।
ମନ ଟିକି ସିନା ହୃଦୟେ ଆମର
ଭରିଛି ଅନେକ ନୂଆ ସପନ,
ସିନେହ, ଆଦର ଲୋଡ଼ା ଆମ ପାଇଁ
ଆମେ ଅଟୁ ପରା ଦେଶ ରତନ ।
ସବୁରି ଓଠରେ ଭରିଦେବୁ ହସ
ସତ୍ୟ ପଥରେ ଯାଇ,
ଭଲ ପଥେ ଯାଇ କରମ କରିଲେ
ସାହା ହୋଇଥିବେ ସାଇଁ ।
