Skip to content

କବିତା

ନିଦ ମାଉସୀଲୋ ନିଦ ମାଉସୀ

ନିଦ ମାଉସୀଲୋ ନିଦ ମାଉସୀ

ନିଦ ମାଉସୀଲୋ ନିଦ ମାଉସୀ
ତୋ କଅଁଳ ହାତେ ଦେ ଆଉଁସି
ଗେହ୍ଲୀ କୁନୁଟାକୁ ମୋର,
ପାଠ ପଢ଼ି ପଢ଼ି ହାଲିଆ ହେଲାଣି
ଦୁଃଖ ମେଣ୍ଟିଯାଉ ତା'ର।
ଅ ଆ ଏ ଵି ସି ଡ଼ି ପଢ଼ୁଛି
ରଫ ଖାତା ଚିରି ଡଙ୍ଗା ଗଢୁଛି
ଆଙ୍କୁଛି ସେ ଶୁଆ ଶାରୀ,
କଦଳୀ କଖାରୁ ଭେଣ୍ଡି ବାଇଗଣ,
ଖାତା ପେନସିଲ୍ ଧରି।
ବରଷା ପାଣିରେ ଭସାଏ ନାଆ
କି ସୁନ୍ଦର ନାଆ ଦିଶଇ ଆହା
କହେ ନାଆ ଯାଆ ଭାସି,
ଦୋହଲି ଦୋହଲି ଭାସିଯିବା ଦେଖି
ତାଳିମାରି ହୁଏ ଖୁସି।
ନାଲି ଟୁକୁ ଟୁକୁ ସାଧବବୋହୂ
ଗୋଡ଼ କାଢିଦିଏ ରାତି ନ ପାହୁ
ତା' ସୁନ୍ଦର ରୂପ ଦେଖି,
କୁନୁ ଅଳିକରେ ଖେଳିବା ପାଇଁକି
ନିଜ ପାଖେ ପାଖେ ରଖି।
ମାଉସୀ ତୁ ନିତି ଆସିବୁ ଘର
ଭାବିବୁଲୋ କୁନୁ ଅତି ନିଜର
ଶୋଇଦେବୁ ମାଆ ପରି,
ସକାଳୁ ଉଠିଲେ ଇସକୁଲୁ ଯିବ
କେଵେ ସେ ନ କରି ଡେରି।