ଜାଣିବା କଥା
ଝରକଲମ
ଦାଶ ବେନହୂର

ଆଗରୁ ପାଠପଢ଼ା ଆରମ୍ବ ହେଉଥିଲା ଖଡ଼ିଗୋଟାଳିରେ। ଏବେ ବି ଗାଁ ଗହଳରେ ଖଡ଼ିଗୋଟାଳି ଧରି ଅକ୍ଷର ଶିଖିବା ଆରମ୍ବ କରାଯାଏ। ସେଇଥିପାଇଁ ପାଠପଢ଼ା ଆରମ୍ଭକୁ କୁହାଯାଏ ଖଡ଼ିଛୁଆଁ । ଖଡ଼ିଗୋଟାଳିକୁ ପଛରେ ପକାଇ ଏବେ ଚକ୍ ଖଡ଼ି ଆସିଗଲାଣି। ଥରେ ଅକ୍ଷର ଶଖିଯାଇ ସିଲଟ ଛାଡ଼ିଦେଲେ କାଗଜରେ ଲେଖା ଆରମ୍ଭ ହୁଏ। ସହରମାନଙ୍କରେ
ପ୍ରାୟ ସମସ୍ତେ କାଗଜ ଧରି ଅକ୍ଷର ଶିଖନ୍ତି । ଗାଁ ଗହଳରେ ବି ସେଇଆ ହେଲାଣି। ଥରେ ଅକ୍ଷର ଶିଖିଗଲେ ତେଣିକି ପେନ୍ସିଲ୍ ରବର ଧରି ଲେଖା ଆରମ୍ଭ ହେଉଥିଲା। ପେନ୍ସିଲ୍ ପରେ ଆସୁଥିଲା କଲମ। ହାତ ସଳଖ ହୋଇଗଲେ କଲମରେ ଲେଖିବା ଅଭ୍ଯାସ ସହଜ ହୋଇଯାଉଥିଲା। କଲମ କହିଲେ ଲୋକେ ଦୁଇପ୍ରକାରର କଲମ କଥା ଜାଣନ୍ତି। ଗୋଟିଏ 'ବୁଡ଼ା କଲମ', ଆରଟି ହେଉଛି ମୁଁ । “ବୁଡ଼ା କଲମ' ପୁଣି ଦୁଇ ଜାତିର । 'କାଠି କଲମ' ଓ “ ପର କଲମ' । ବହୁବର୍ଷ ଧରି ବୁଡ଼ା କଲମ ହିଁ ଥିଲା କଲମ ଭାବେ ଜଣାଶୁଣା ଲେଖା ସରଞ୍ଜାମ। ଲୁହା ଲିଖନ ପରେ ଆସିଥିଲା ବୁଡ଼ା କଲମ। ବୁଡ଼ା ପରେ ଆସିଗଲି ମୁଁ । 'ବୁଡ଼ା'ର ସିନା ମୁହଁ ଓ ଦେହ ଅଛି, ମୋର କିନ୍ତୁ ଥାଏ ମୁହଁ, ବେକ,ଜିଭ, ଖୋଳ, ପେଟ ଓ ଦେହ । ମୋ ଖୋଳରେ ଥାଏ ଏକ ସୁନ୍ଦରିଆ ଖୋସଣା। ସେଇଥିପାଇଁ ମତେ କ୍ଲିପ୍ ପେନ୍ କହିବା ସହ ନିବ୍-କଲମ ବା ଧାତୁମୁହିଁ କଲମ ଭାବରେ ସମସ୍ତେ ଜାଣୁଥିଲେ। ମୋ ଦେହରେ ଥିବା କାଳି ଚାପ ଓ ଉଠାଣ ପ୍ରକ୍ରିୟା ଯୋଗୁଁ ଝରିଆସି ଜିଭରେ ଥିବା ନାଳୀ ଦେଇ ନିବ୍ ସାହାଯ୍ୟରେ ଲେଖିପାରେ। ପୁଣି କାଳି ସରିଗଲେ ମୋ ବେକ ଖୋଲି ପେଟରେ କାଳି ଭର୍ତି କରିଦିଆଯାଏ। କୌଣସି କୌଣସି କମ୍ପାନି ମୋ ଦେହରେ ଯନ୍ତ୍ର ଲଗାଇ ମୁହଁ ବାଟେ କାଳିଟାଣିବା ବ୍ୟବସ୍ଥା କରିଥାନ୍ତି।
ଇତିହାସରୁ ଜଣାଯାଏ ଯେ ମେଘ୍ରେରେବର ଖଲଫା ମାଦ୍-ଅଲ୍-ମୁଇଜ୍ ଥରେ ଅଡ଼ି ବସି କହିଲେ ମତେ ଏମିତିକା ଗୋଟେ କଲମ ଦିଅ,ଯାହାର କାଳି ହାତରେ ଲାଗିବନି କି ଲୁଗାପଟାରେ ପଡ଼ିବନି। କାରଣ ବୁଡ଼ା କଲମର କାଳି ଟିକିଏ ଅସାବଧାନ ହେଲେ ଦେହ ବା ଲୁଗାପଟାରେ ପଡ଼ିଯାଏ। ଇଏ ଦଶମ ଶତାବ୍ଦୀର କଥା। ସେଇଠୁ ପେଟ ଭିତରେ କାଳି ସାଇତି ଲେଖିପାରିବା କଲମ କଥା ଚିନ୍ତା କରୁ କରୁ ମୁଁ ଜନ୍ମ ହେଲି। ତେବେ ସେ ସବୁ ଚେଷ୍ଟାରେ ମୋର ଅସଲ ଦେହ ଗଢ଼ାହୋଇ ପାରିଲା ନାହିଁ । ମୁଁ ପରିପୂର୍ଣ ରୂପରେ ମଣିଷମାନଙ୍କ ହାତକୁ ବହୁଳ ଭାବରେ ଆସୁଆସୁ ଉନବିଂଶ ଶତାବ୍ଦୀର ଶେଷଭାଗ ହୋଇଗଲା। ମତେ ନେଇ ଏବେ ବି ଗବେଷଣା ଚାଲିଛି। ମତେ କେତେ ସୁନ୍ଦର, ଭଲ ଓ କାର୍ଯ୍ୟକ୍ଷମ କରାଯାଇପାରିବ, ସେଥିପାଇଁ ପୃଥିବୀ ପ୍ରସିଦ୍ଧ କଲମ ତିଆରି କମ୍ପାନିମାନେ ଆଜି ମଧ୍ୟ ଚେଷ୍ଟା ଚଳାଇଛନ୍ତି । ସୁନା, ପ୍ଲାଟିନମ୍ ଭଳି ଅତି ଦାମିକା ଧାତୁରେ ହୀରା, ନୀଳା ଖନ୍ଜି ମତେ ଗଢ଼ା ଯାଉଛି।
ଗଳ୍ପ
ଘୋଡା ଓ ଶଗଡିଆ
ରାଧାମାଧବ ରଥ

ଖରାବେଳ। ଡହଡହ ଖରାରେ ମେଦିନୀ ଯେପରି ଫାଟି ଯାଉଛି। ଏକ ଶଗଡିଆ ଏକ ମାଲବାହୀ ଶଗଡରେ ବହୁତ ଗୁଡାଏ କାଠଗଡକୁ ଲଦି ସହରକୁ ଯାଉଥାଏ। ଶଗଡଟିକୁ ଗୋଟିଏ ମାତ୍ର ଘୋଡା ଟାଣୁଥାଏ। ବୟସ ଚାପରେ ଘୋଡାଟି କ୍ରମଶଃ ବୁଢା ହୋଇ ଗଲାଣି।ଅଧିକନ୍ତୁ ଠିକ୍ ସମୟରେ ନ ଖାଇଥିବା ହେତୁ ବହୁତ ଦୁର୍ବଳ ହୋଇ ଯାଇଥାଏ। ଖରା ହେତୁ ତାକୁ ଶୋଷ ମଧ୍ଯ କରୁଥାଏ। ତେଣୁ କାଠବୋଝର ଓଜନକୁ ସମ୍ଭାଳି ନ ପାରି ବାଟରେ ଘୋଡାଟି ଗୋଟିଏ ସ୍ଥାନରେ ଲଥ୍ କରି ବସି ପଡିଲା। ପାଦେ ବି ଘୁଞ୍ଚିଲା ନାହିଁ।ମାତ୍ର ନିର୍ଦ୍ଦୟ ଶଗଡିଆଟି ତାର ଦୁଃଖ ବୁଝିବା ପରିବର୍ତ୍ତେ ତାକୁ ବାରମ୍ବାର ପ୍ରହାର ଓ ଗାଳି ମଧ୍ଯ ଦେଲା। ଘୋଡାଟିକୁ କିଛି ଖାଇବାକୁ କିମ୍ବା ପିଇବାକୁ ପାଣି ନ ଦେଇ, ଅନ୍ଯ ଏକ ଟ୍ରାକ୍ଟରରେ ମାଲତକ ବୋଝେଇ କରି ସହରକୁ ଚାଲିଗଲା।
ଘୋଡାଟି ପେଟ ବିକଳରେ ସେଠାରେ ପଡି ରହିଲା।ଅଧିକନ୍ତୁ ଶୋଷରେ ତାର ତଣ୍ଟି ଶୁଖି ଯାଉଥାଏ। ଏହି ସମୟରେ ଦୁଇଟି ଛୋଟ କୁକୁର ଛୁଆ ସେଇ ବାଟ ଦେଇ ଯାଉଥିଲେ।ଘୋଡାଟିର ଏ ପ୍ରକାର ଅବସ୍ଥା ଦେଖି ତାଙ୍କ ମନରେ ଭୀଷଣ ଦୟା ଆସିଲା। ସେ ଦୁହେଁ ପାଖ ଯାଗାରୁ ପାଣି ଆଣି ତା ପାଟିରେ ପାଣି ଦେଲେ ଓ କଅଁଳ ଘାସ ଖାଇବାକୁ ଦେଲେ। ଘାସ ଓ ପାଣି ପାଇ ଘୋଡାଟି ଅତ୍ୟନ୍ତ ଖୁସି ହେବା ସହିତ ତା ଦେହରେ ଶକ୍ତି ଆସିଲା।ଦିନେ ଦୁଇଦିନ ଉତ୍ତାରୁ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଚଲାବୁଲା କଲା।ପରିଶେଷରେ କୁକୁର ଛୁଆ ଦୁଇଟି ଉପରେ ଅତ୍ଯନ୍ତ ଖୁସି ହୋଇ ତାଙ୍କୁ ନିଜ ପିଠିରେ ବସାଇ ଶସ୍ୟକ୍ଷେତ୍ର ସାରା ବୁଲାଇ ଆଣିଲା।
ପରେ ଶଗଡିଆଟି କୁକୁର ଛୁଆ ଦୁହିଁଙ୍କ ଠାରୁ ଶିକ୍ଷାଲାଭ କଲା।ପରିଶେଷରେ ନିଜର ଭୁଲ ବୁଝିପାରି ଘୋଡାଟିକୁ ସ୍ନେହଶ୍ରଦ୍ଧା ଦେଇ ଘରେ ରଖିଲା ଓ ନିଜର କାମରେ ଲଗାଇଲା।
ଗଳ୍ପ
ଶିଵେଇ ସାମନ୍ତରାଙ୍କ ଜାଉଖିଆ
ସୁଵାସିନୀ ଧଳ

ଓଡ଼ିଶାର ରାଜା ସେତେବେଳେ ଥାଆନ୍ତି ଲାଙ୍ଗୁଳା ନରସିଂହ ଦେବ। ତାଙ୍କ ପିଠିରେ ବେକରୁ ପାଦଯାଏ ସେ ଗୋଟିଏ ବଡ଼ ପରଦା ପକାଇ ଯାଉଥିଵାରୁ ତାଙ୍କୁ ସମସ୍ତେ ଲାଙ୍ଗୁଳା ନରସିଂହ ଦେବ ବୋଲି କହୁଥିଲେ। ସେ ଥିଲେ ଜଣେ ପରମ ମାତୃ ଭକ୍ତ। ତାଙ୍କ ମାଆ ପ୍ରତିଦିନ ବଢ଼ି ଭୋରୁ ସୂର୍ଯ୍ୟଙ୍କୁ ଉପାସନା କରୁଥିଲେ। ଦିନେ ତାଙ୍କ ମାଆ ଲାଙ୍ଗୁଳା ନରସିଂହ ଦେବଙ୍କୁ କହିଲେ," ପୁଅ ମୋ ପାଇଁ ଗୋଟିଏ ସୂର୍ଯ୍ୟଙ୍କର ମନ୍ଦିର ତୋଳାଇ ଦିଅନ୍ତୁ ନାହିଁ? ଯେଉଁଠି ସୂର୍ଯ୍ୟ ଉଇଁଵା ମାତ୍ରେ ତାଙ୍କର ପ୍ରଥମ କିରଣ ସେଠାରେ ପଡୁଥିବ। ସେଇଠି ମୁଁ ଆନନ୍ଦରେ ସୂର୍ଯ୍ୟଙ୍କୁ ପୂଜା କରିପାରନ୍ତି।"
ମାଆଙ୍କ କଥା ଶୁଣି ଖୁସି ହୋଇଗଲେ ଲାଙ୍ଗୁଳା ନରସିଂହ ଦେବ। ସଙ୍ଗେ ସଙ୍ଗେ ସେ ତାଙ୍କର ମନ୍ତ୍ରୀ ଶିଵେଇ ସାମନ୍ତରା ଓ ପାରିଷଦଙ୍କୁ ଡକାଇ ଶୀଘ୍ର ଏକ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବାକୁ ଆଦେଶ ଦେଲେ। ଯେଉଁଠି ସୂର୍ଯ୍ୟ ଉଇଁଵା ମାତ୍ରେ ତାଙ୍କର ପ୍ରଥମ କିରଣ ସେଠାରେ ପଡୁଥିବ ଆଉ ସେହି ମନ୍ଦିରର ନାମ କୋଣାର୍କ ମନ୍ଦିର ରଖାଯିବ।
ରାଜାଙ୍କ ଆଦେଶ ସାରା ରାଜ୍ୟରେ ଜଣାଇ ଦିଆଗଲା। ବହୁ ଚିନ୍ତା ପରେ ଜଣା ପଡିଲା ସୂର୍ଯ୍ୟଙ୍କର ପ୍ରଥମ କିରଣ ବଙ୍ଗୋପସାଗର ଭିତରେ ପଡୁଛି। କିନ୍ତୁ ସୂର୍ଯ୍ୟଙ୍କର ପ୍ରଥମ କିରଣ ସମୁଦ୍ର ଭିତରେ ପଡୁଥିବାରୁ ପାଣି ଭିତରେ କେମିତି ମନ୍ଦିର ନିର୍ମାଣ ହୋଇ ପାରିଵ, ମନ୍ତ୍ରୀଙ୍କର ଚିନ୍ତା ଵଢିଲା।
ରଜା ତ ଅଵୁଝା। ତାଙ୍କୁ ଵା କିଏ ଵୁଝାଇ ପାରିବ? ସେ ପୁଣି କହିଲେ, "ଵାର ଶହ ବଢ଼େଇ ନିଯୁକ୍ତ କରି ଖୁବ୍ ଶୀଘ୍ର ମନ୍ଦିର ତୋଳାଇଵାକୁ ହେବ। ମନ୍ଦିର ନିର୍ମାଣ କରି ନ ପାରିଲେ ଵାର ଶହ ଵଢେଇଙ୍କର ମୁଣ୍ଡ କାଟ ହେବ।"
ରଜାଙ୍କ କଥା ଶୁଣି ଶିଵେଇ ସାମନ୍ତରାଙ୍କ ମୁଣ୍ଡ ଘୂରିଗଲା। ସେ ତୁରନ୍ତ ଵାର ଶହ ଵଢେଇଙ୍କୁ ଡାକି ମନ୍ଦିର ତୋଳା କାର୍ଯ୍ୟ ଆରମ୍ଭ କରିଦେଲେ। ବଡ଼ ବଡ଼ ପଥର ଅଣାଗଲା; କିନ୍ତୁ ଦିନ ରାତି ପରିଶ୍ରମ କରି ସମୁଦ୍ରରେ ପଥର ପକାଇଲେ ମଧ୍ୟ ତାହା ସଵୁ ପାଣିରେ ଡୁଵି କେଉଁ ଆଡ଼େ ଅନ୍ତର୍ଦ୍ଧାନ ହୋଇ ଯାଉଥାଏ।
ଏହା ଦେଖି ଶିବେଇ ସାମନ୍ତରାଙ୍କ ଚିନ୍ତା ମଧ୍ୟ ବଢ଼ି ବଢ଼ି ଯାଉଥାଏ। କ`ଣ କରିଵେ ସେ କିଛି ଜାଣି ପାରୁ ନଥାନ୍ତି। ଦିନେ ମନଦୁଃଖରେ ସକାଳୁ ଉଠି ସେ କେଉଁ ଆଡ଼େ ଚାଲି ଗଲେ। ଯାଉ ଯାଉ ସନ୍ଧ୍ୟା ଆସିଗଲା। ହଠାତ୍ ଝଡ଼ ତୋଫାନ ମାଡ଼ି ଆସିଲା। ଶିଵେଇ ସାମନ୍ତରା କିଛି ଉପାୟ ନପାଇ ଗୋଟିଏ କୁଡ଼ିଆ ଘରେ ଜଳୁଥିବା ଦୀପଶିଖାଟିଏ ଦେଖି ସେହି ଘରକୁ ପଶିଗଲେ।
ସେହି ଘରେ ବୁଢୀଟିଏ ରହୁଥିଲା। ଗରିଵ ନିଆଶ୍ରୀ ଵୁଢୀଟିର ପୁଅ ଝିଅ କେହି ବି ନଥିଲେ। ସେ ଲୋକଟିକୁ ଦେଖି ଆଦରରେ ନେଇ ଘରେ ବସାଇଲା। ତାଙ୍କୁ ଅତିଥି ଵୋଲି ଭାଵି ଖାଇବାକୁ ଦେବାପାଇଁ ଘରେ ଯାହା କିଛି ଥିଲା କ୍ଷୁଦ ମଳୁଖ ମିଶାଇ ଜାଉ ଟିକିଏ କଲା। ଆଦରରେ ଥାଳିରେ ଢାଳି ଶିଵେଇ ସମନ୍ତରାଙ୍କୁ ଖାଇବାକୁ ଡାକିଲା।
ଶିଵେଇ ସାମନ୍ତରା ଭୋକରେ ଆଉଟୁ ପାଉଟୁ ହେଉଥିଲେ। ସେ ଜାଉ ଦେଖି ଖାଇଵାକୁ ତରଵରରେ ଜାଉ ଭିତରେ ହାତ ପୁରାଇ ଦେଲେ। ଗରମ ଜାଉରେ ତାଙ୍କର ହାତ ପୋଡିଗଲା। ଵୁଢୀ ଖୁବ୍ ଵ୍ୟସ୍ତ ହୋଇ ପଡି କହିଲା, " ଆରେ ପୁଅ, ତୁ ସେ ଶିବେଇ ସାମନ୍ତରାଙ୍କ ପରି କଣ ହେଉଛୁ?
ଵୁଢୀ ପ୍ରକୃତରେ ସିଵେଇ ସାମନ୍ତରାଙ୍କୁ ଚିହ୍ନି ନଥିଲା।
ଵୁଢୀ କଥା ଶୁଣି ଶିବେଇ ସାମନ୍ତରା ଚମକି ପଡ଼ି କହିଲେ,"ମାଉସୀ, ମୁଁ ସେ ଶିବେଇ ସାମନ୍ତରା ପରି କ`ଣ ହେଲି ?
ଵୁଢୀ ହସି ହସି କହିଲା," ଜାଣିନୁ ପୁଅ? ସେ ଶିବେଇ ସାମନ୍ତରା ଯେମିତି ସମୁଦ୍ରରେ ପଥର ପକେଇ ମନ୍ଦିର ତୋଳିଵ ବୋଲି ଭାଵୁଛି। ପାଣି ଭିତରେ ପଥର ପକାଇଲେ ପଥର ବୁଡ଼ି ଯିଵ ନାହିଁ? କୂଳରୁ ପଥର ପକାଇ ପକାଇ ଗଲେ ସିନା ପଥର ନ ବୁଡ଼ି
ରହିବ? ତା`ପରେ ଯାଇ ଦେଉଳ ତୋଳା ସହଜ ହେଵ। ତୁ ଠିକ୍ ସେମିତି ପାଖରୁ ପାଖରୁ ଜାଉ ନଖାଇ ଏକାଥରେ ମଝିରେ ହାତ ବୁଡ଼ାଇ ଦେଉଛୁ? ପାଖରୁ ପାଖରୁ ଜାଉ ଖାଇଲେ ସିନା ସଵୁତକ ଖାଇ ପାରିବୁ?
ଶିବେଇ ସାମନ୍ତରା ବୁଢ଼ୀ କଥା ଶୁଣି ତାଙ୍କ ମନରେ ଵୁଦ୍ଧି ଆସିଗଲା। ସେ ଆଉ କାଳବିଳମ୍ବ ନକରି ଜାଉରୁ ଟିକିଏ ଖାଇଦେଇ ସେହି ଝଡ଼ ବର୍ଷାରେ କାରିଗରଙ୍କ ପାଖକୁ ଧାଇଁ ଆସିଲେ।
ପରଦିନଠାରୁ ସମୁଦ୍ରର କୂଳ ପାଖରୁ ପଥର ପକାଇଵା ଆରମ୍ଭ ହେଲା ଓ ଧୀରେ ଧୀରେ ପଥର ଭିତରେ ବୁଡ଼ି ନଯାଇ ଏକାଠି ରହିଲା। ଵାର ଶହ ଵଢେଇଙ୍କର ଦିନରାତି ପରିଶ୍ରମରେ ଵାର ବର୍ଷରେ ଗଢ଼ା ହେଲା ଆଖି ଝଲସା ଏକ ଦିଵ୍ୟ ସୁନ୍ଦର ମନ୍ଦିର। ଯାହାର ନାମ ରଖାଗଲା କୋଣାର୍କ ମନ୍ଦିର।

ବୁବୁଲୁ ତୁ ଆଜି କଅଣ ଏତେ ଶୀଘ୍ର ସ୍କୁଲକୁ ଯିବୁ କି !
ହଁ ବୋଉ, ଆଜି ଶିଶୁଦିବସ, ପ୍ରିୟ ଚାଚାଜୀଙ୍କ ଜନ୍ମଦିନ । ସ୍କୁଲରେ ବକ୍ତୃତା ପ୍ରତିଯୋଗିତା ହେବ, ମୁଁ ପରା ନାଁ ଦେଇଛି ।
ବାଃ ବହୁତ ବଢିଆ କଥା, ତୁ ଆଜି ବକ୍ତୃତା ଦେବାପାଇଁ ମନ କରିଛୁ । ନିଶ୍ଚୟ ସଫଳ ହେବୁ ପୁଅ । ନେ ନେ ଏ ଗୋଲାପ ଫୁଲଟି ନେ, ଚାଚାଜୀଙ୍କ ଫଟୋରେ ଚଢ଼େଇଦେବୁ । ଗୁରୁଜୀ ଗୁରୁମା ଖୁସି ହୋଇଯିବେ ।
ହସି ହସି ବୁବୁଲୁ ସ୍କୁଲ୍ ବାହାରିଗଲା । ତା ଶ୍ରେଣୀର ସହପାଠୀମାନେ ଆସିଛନ୍ତି । ପ୍ରିୟ ଚାଚାଜୀ ଜବାହରଲାଲ ନେହେରୁଙ୍କ ଫଟୋ ଥୁଆ ହୋଇଛି । ପ୍ରଥମେ ଚାଚାଜୀଙ୍କୁ ଗୋଲାପ ଫୁଲ ଦେଇ ମୁଣ୍ଡିଆ ମାରିଲା । ଅନ୍ୟ ଗୁରୁଜୀ ଗୁରୁମାଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଲା ।
ବକ୍ତୃତା ପ୍ରତିଯୋଗିତା ଆରମ୍ଭ ହେଲା । ବିଭିନ୍ନ ଶ୍ରେଣୀର ପିଲାଙ୍କୁ ଗ୍ରୁପରେ ସଜେଇ ଦିଆଯାଇଥିଲା । ବୁବୁଲୁ ତା ଗ୍ରୁପରେ ଯୋଗଦେଇ ଶାନ୍ତି ଶୃଙ୍ଖଳାର ସହ ଭାଷଣ ଦେଲା । ତା କହିବା ଶୈଳୀ ଓ ସୁନ୍ଦର ଭାଷା ସମସ୍ତ ବିଚାରକଙ୍କୁ ଖୁସି କରେଇଦେଲା । ପ୍ରାୟ ଏକ ଘଣ୍ଟା ପରେ ଫଳାଫଳ ପ୍ରକାଶ ପାଇଲା । ବୁବୁଲୁ ତା ଗ୍ରୁପରେ ପ୍ରଥମ ହେଲା ।
ବିଚାରକମାନେ ନିଜ କଥା ରଖି କହିଲେ- ଆଜି ହେଉଛି ଶିଶୁଦିବସ , ପ୍ରିୟ ଚାଚାଜୀଙ୍କ ଜନ୍ମଦିନ । ଚାଚାଜୀ ଶିଶୁମାନଙ୍କର ମଙ୍ଗଳ କାମନା କରୁଥିଲେ । ଶିଶୁମାନେ ହିଁ ଏ ଦେଶର ଭବିଷ୍ୟତ ବୋଲି ବିଚାର କରୁଥିଲେ । ତାଙ୍କରି ଯୋଗୁଁ ଏ ଦେଶର ଉନ୍ନତି ହେବ । ପିଲାଏ ପାଠ ପଢ଼ିବେ, ଦେଶ ଗଢ଼ିଵେ । ସେ ପିଲାଙ୍କ ଖୁସି ଦେଖି ନିଜେ ଖୁସି ହେଉଥିଲେ । ସେଥିପାଇଁ ସଭିଏଁ କହନ୍ତି ଯେ 'ଶିଶୁ ହସିଲେ ଦୁନିଆ ହସେ, ଫୁଲ ଫୁଟିଲେ ବଗିଚା ବାସେ ।'
ଜୀବନରେ ଭଲ ମଣିଷ ହେବାକୁ ହେଲେ ହସି ହସି କଥା କହିବା, ଅନ୍ୟକୁ ବିପଦ ଆପଦରେ ଉପକାର କରିବା ଓ ମହାପୁରୁଷଙ୍କ ନୀତି ଆଦର୍ଶକୁ ମାନି ଚଳିବା ।
ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଏକଥା କହି ସବୁ ପିଲାଙ୍କୁ ଆଶୀର୍ବାଦ ଦେଲେ ଓ ବୁବୁଲୁ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ହୋଇଥିବାରୁ ମେଡାଲ୍ ଦେଲେ । ମୁଣ୍ଡ ଆଉଁଶି କହିଲେ- ମନଦେଇ ପାଠ ପଢ଼ ।
ଚାଚାଜୀଙ୍କ ଫଟୋକୁ ଆଉ ଥରେ ବୁବୁଲୁ ମୁଣ୍ଡିଆ ମାରି ସାଙ୍ଗସାଥୀଙ୍କ ସହ ଘରକୁ ଫେରିଲା । ତା ଵାପା ବୋଉକୁ ପୁରସ୍କାର ଦେଖେଇଲା ।

ଶୀତ ଦିନର ଗୋଟିଏ ସକାଳ। ଚାରିଆଡେ ଘନ କୁହୁଡ଼ି। ଗଛ-ଲତା, ରାସ୍ତା-ଘାଟ, ବିଲ-ବାଡ଼ି ସବୁ ଯେମିତି ଧଳା ଚାଦର ତଳେ ଲୁଚି ଯାଇଛି। ଦୂର ପାହାଡ଼ଟା ଆଉ ଦେଖାଯାଉ ନାହିଁ। ଲାଗୁଛି ପ୍ରକୃତି ରାଣୀ ଧଳା ଓଢ଼ଣା ପିନ୍ଧି ମିଠା ସ୍ୱପ୍ନ ଦେଖୁଛି।
ସେହି ଗାଁରେ ରହୁଥିଲା ଆଠ ବର୍ଷର ଛୋଟ ପିଲା ମୁନା। ସକାଳୁ ଉଠିବାକୁ ତାକୁ ଆଦୌ ଭଲ ଲାଗେ ନା। ଶୀତ ଦିନେ ଗରମ କମ୍ବଳ ହିଁ ତା'ର ସବୁଠୁ ପ୍ରିୟ ସାଥୀ। ମାଆ ଯେତେ ଡାକିଲେ ବି ସେ କମ୍ବଳ ଭିତରୁ ମୁହଁ ବାହାର କରେ ନା।
"ମୁନା, ଉଠି ପଡ଼ ବାପା! ସକାଳ ହେଲାଣି, ସ୍କୁଲ ଯିବାକୁ ହେବ," ମାଆ ଡାକିଲେ।
ମୁନା ଆଖି ମଳି ମଳି କହିଲା, "ମାଆ, ସୂରୁଜ ମାମୁଁ ଆଜି ଉଠି ନାହାନ୍ତି କି? ଏତେ ଅନ୍ଧାର କାହିଁକି? ଆଜି ନିଶ୍ଚୟ ସ୍କୁଲ ଛୁଟି!"
ମାଆ ହସି ହସି କହିଲେ, "ଆରେ ବୋକା, ସୂରୁଜ ମାମୁଁ ଉଠିଛନ୍ତି, ହେଲେ ଦୁଷ୍ଟ କୁହୁଡ଼ି ତାଙ୍କୁ ଲୁଚାଇ ଦେଇଛି। ଶୀଘ୍ର ଉଠ, ଦେଖିବୁ ଆଜିର ସକାଳ କେତେ ସୁନ୍ଦର।"
ମୁନା ଅନିଚ୍ଛାରେ ଉଠି ଝରକା ଖୋଲିଲା। ଆହା! ବାହାରେ ସବୁଆଡେ ଧୂଆଁ ପରି ଧଳା କୁହୁଡ଼ି। ଘର ପାଖ ଆମ୍ବ ଗଛଟା ଅଧା ଲୁଚି ଯାଇଛି।
ହଠାତ୍ ତା' ନଜର ପଡିଲା ଗଛ ଡାଳରେ ବସିଥିବା ଛୋଟ ଚଢ଼େଇଟି ଉପରେ। ଚଢ଼େଇଟି ଥଣ୍ଡାରେ ଥରୁଛି। ତା' ଛୋଟ ପରଗୁଡ଼ିକ କାକରରେ ଭିଜି ଯାଇଛି।
ମୁନା ମନେ ମନେ ଭାବିଲା, "ମୋ ପାଖରେ ତ ଗରମ କମ୍ବଳ ଅଛି, ଏ ଛୋଟ ଚଢ଼େଇଟି କେମିତି ଥଣ୍ଡା ସହୁଥିବ?"
"ମାଆ, ଚଢ଼େଇଟିକୁ କିଛି ଖାଇବାକୁ ଦେବା କି?" ମୁନା କହିଲା।
ମାଆ ଖୁସି ହୋଇ ମୁନା ହାତରେ ମୁଠାଏ ଚାଉଳ ଓ କିଛି ବାଜରା ଦେଲେ। ମୁନା ଧୀରେ ଯାଇ ଅଗଣା କୋଣରେ ଦାନା ଗୁଡ଼ିକ ରଖି ଦେଲା ଏବଂ ଝରକା ପାଖରେ ଠିଆ ହୋଇ ଚୁପଚାପ ଦେଖିବାକୁ ଲାଗିଲା।
କିଛି ସମୟ ପରେ ଚଢ଼େଇଟି ଉଡ଼ି ଆସିଲା। ତା' ସହିତ ଆହୁରି ଦୁଇଟି ଚଢ଼େଇ ମଧ୍ୟ ଆସିଲେ। ସେମାନେ ଖୁସିରେ କିଚିରି ମିଚିରି ହୋଇ ଦାନା ଖାଇବାକୁ ଲାଗିଲେ।
ଏହା ଦେଖି ମୁନାର ମୁହଁରେ ବଡ଼ ହସ ଫୁଟିଲା।
"ମାଆ, ଦେଖ ଦେଖ! ସେମାନେ କେତେ ଖୁସି ଅଛନ୍ତି!" ସେ ଆନନ୍ଦରେ ଚିଲ୍ଲାଇ ଉଠିଲା।
ମାଆ ମୁନାର ମୁଣ୍ଡ ଆଉଁସି କହିଲେ, "ହଁ ବାପା, ଅନ୍ୟର ମୁହଁରେ ହସ ଫୁଟାଇବାଠାରୁ ବଡ଼ ଖୁସି ଆଉ କିଛି ନାହିଁ।"
ସେତିକି ବେଳେ ଧୀରେ ଧୀରେ କୁହୁଡ଼ି ହଟିଗଲା ଏବଂ ସୂରୁଜ ମାମୁଁ ମେଘ ପଛରୁ ମୁହଁ ବାହାର କଲେ। ସୁନେଲି ଆଲୁଅ ସାରା ଗାଁକୁ ଭରିଦେଲା। ମୁନା ବି ଖୁସିରେ ସ୍କୁଲ ବ୍ୟାଗ ଧରି ବାହାରି ପଡିଲା। ସେ ବୁଝିଗଲା, ଧୂଆଁଳିଆ ସକାଳ ବି କେତେ ସୁନ୍ଦର ହୋଇପାରେ!
*ଶିକ୍ଷା: ଛୋଟ ଜୀବଙ୍କ ପ୍ରତି ଦୟା ଦେଖାଇବା ହିଁ ପ୍ରକୃତ ମଣିଷ ପଣିଆ।*
କବିତା
ତାଳଦଣ୍ଡା ରୁ ଚିତ୍ରକୋଣ୍ଡା
ଦିଲ୍ଲୀପ କୁମାର ସାହୁ

ମହାନଦୀରୁ ତ ନାଳ ବାହାରିଛି
ନଆଁ ତାର ତାଳଦଣ୍ଡା
ତାଳଦଣ୍ଡା ଯୋଗୁ ହସୁଅଛି କେତେ
ବିଲବାଡି ଗାଁଆ ଗଣ୍ଡା।
ସୁଆଦିଆ ଆଉ ଦେହ ପାଇଁ ଭଲ
ଦେଶି କୁକୁଡ଼ାଙ୍କ ଅଣ୍ଡା
ଅଣ୍ଡାପରି ପୁଣି ଦେହକୁତ ହିତ
ପାଚିଲା ଅମୃତଭଣ୍ଡା ।
ସକାଳେ ସଞ୍ଜରେ ନିଇତି ଦେଉଳେ
ଠାକୁର ପୁଜନ୍ତି ପଣ୍ଡା
ପୂଜାପଣ୍ଡାଙ୍କର ମୁଣ୍ଡରେ ଚୁଟୀକୁ
ମୁଣ୍ଡ ସବୁବେଳେ ଲଣ୍ଡା।
ପାଟିରୁ ଛାଡେନି ଖାଉଥିଲେ ଯେତେ
ଆଈ ହାତ ଗଢା ମଣ୍ଡା
ଅଥାର ସଜାଡି ମଣ୍ଡାଗଢେ ଆଈ
ଚୂଲିରେ ବସାଇ ହଣ୍ଡା ।
ପାଇକ ଙ୍କୁ ଆମ ଡରୁଥିଲେ ସବୁ
ହାତେ ଥିଲେ ତାଙ୍କ ଖଣ୍ଡା
ଚଉଦିଗ ବୀର ଜୟ କରିଥିଲେ
ଉଡାଇ ବିଜୟ ଝଣ୍ଡା।
ଧାନ କ୍ଷେତ ରେ ତ ଝଲମଲ ହୁଏ
ପାଚିଗଲେ ଧାନକେଣ୍ଡା
ଧାନ କୁଟା ହୋଇ ବାହାରେ ଚାଉଳ
ବାହାରଇ ପୁଣି କୁଣ୍ଡା।
ବରଷା ଋତୁରେ ବିଲ ବାଡି ସାରା
ସାଲୁବାଲୁ କୁଜି ଗେଣ୍ଡା
ଘାସ ପଡିଆରେ ମନ ଖୁସିରେ ତ
ଚରୁଥାନ୍ତି ଛେଳି ମେଣ୍ଢା ।
ପିଆଜ ପାଚିଲେ ଗଛରେ ବାହାରେ
କିସୁନ୍ଦର ତାର ଶଣ୍ଡା
ଫସଲ ରେ ପାଣି ମଡାଇବା ପାଇଁ
ନାଳ ରେ ଲାଗିଛି ତେଣ୍ଡା।
ନୀରିହ ଯେମିତି ସରଳ ସେମିତି
ମାଲକାନଗିରି ବଣ୍ଡା
ତାଙ୍କରି କଥାକୁ ବଖାଣୁ ଥାଏ ରେ
ଗୀତ ଗାଇ ଚିତ୍ରକୋଣ୍ଡା।
କବିତା
ଶଙ୍ଖି ବିଲେଇର ବାହାଘର
ଚତୁର୍ଭୁଜ ପହି

ଅଗଡ ବଗଡ ଶଗଡ ଗାଡି
ଆଗକୁ ଆଗକୁ ଯାଉଛି ମାଡି
ବହୂ ସାଜିଯାଏ ଶଂଖି ବିଲେଇ
ବସିଛି ତା ବର ନିଶ ଫୁଲେଇ
ବାଜିବ ବାଜା
ବାହାଘର ପାଇଁ ବଣ ମୂଲକ ଯେ
ହୋଇଛି ସଜା।।,,,,,,,
କୁକୁର ନେଉଛି ବୁକୁଚା ବୋହି
ଠେକୁଆ ନାଚୁଛି ତୂରୀ ବଜାଇ
ମନ୍ତର ପଢୁଛି ଟିକି ଚଢ଼େଇ
ହାତୀ ନିଏ ଆଗ ବାଟ କଢ଼େଇ
ବଣର ରାଜା
କୁହାଟ ମାରୁଛି କିଏ କାହିଁ ଅଛ
ଆସ ମୋ ପ୍ରଜା।।,,,,,,,,
ପରଷି ଦେଉଛି ଗଧିଆ ଭାଇ
ଯିଏ ଯାହା ମନ ଖାଉଛି ନେଇ
ବରଯାତିରୀ ଙ୍କୁ ଗୋଟିଏ କରି
କନିଆଁ ର ପିତା ହାତରେ ଧରି
ଦେଉଛି ଗଛ
ଲଗାଇ ବଞ୍ଚାଇ ଜୀବନ ଗଢିବା
ନକରି ପଛ।।,,,,,

ଜହ୍ନତ ବିଭୋର ତାରାତ ବିଭୋର
ବିଭୋର ଆକାଶ ଛାତି
ହଟିଯାଏ ଗାଢ଼ ଅନ୍ଧାର ଜୋଚ୍ଛନା
ଝଲମଲ କରେ ରାତି ||
ନଈପଠା ଧାରେ କାଶତଣ୍ଡୀ ଭାଙ୍ଗେ
ଦେହର ଅଳସପଣ
ଗଛତ ଧରିଛି ଫୁଲ ଫଳ କୋଳି
ସୁନ୍ଦର ଦିଶୁଛି ଵଣ ||
ନୂଆ ଧାନକ୍ଷେତ ଦେଖି ଗାଏ ଗୀତ
ହିଡମୁଣ୍ଡେ ଵସି ଚାଷୀ
ଧଳାମେଘ ଖଣ୍ଡ ଆକାଶ ଛାତିରେ
ଦିନ ରାତି ଯାଏ ଭାସି ||
ମାଆଙ୍କର ଆଗମନେ ଶରତଯେ
ବଢାଏ ପ୍ରକୃତି ଶୋଭା
ବଗିଚା ଫୁଲରେ ବସେ ପ୍ରଜାପତି
ଫୁଲ ଦିଶେ ମନଲୋଭା ||
ଆସୁଛନ୍ତି ମାଆ ମେଢ଼ ମଣ୍ଡପରେ
ପୂଜାତ ପାଇବେ ବସି
ମମତାମୟୀଙ୍କ ଆଗମନ ଜାଣି
ଭକତ ଦେଲେଣି ହସି ||
ଜହ୍ନିଫୁଲ ଫୁଟି ଦିଶେ ଜକ ଜକ
ଦେଖି ମନ ଯାଏ ଲାଖି
କୁଆଁରୀ କନିଆ ଚାହିଁଛି ପୁନିଅଁ
ରାତିକି ଅତର ମାଖି ||
ଗଙ୍ଗଶିଉଳି ତା ବାସରେ ମୋହୁଛି
ମଣିଷ ପରାଣ ମନ
ଶରତ କରିଚି ସରସ ସୁନ୍ଦର
ନଈ ଝର ବିଲ ବନ ||

ଗାଆଁରେ ଆମର ପୁରୁଣା ଘର
ଘର ମଝିଟାରେ ମାଟି ଦୁଆର
ନିତି ଲିପାପୋଛା ଗୋବର ଢାଳି
ଫୁଲଗଛେ ଫୁଲ ଭଳିକିଭଳି
ଚଉରାରେ କଳା ତୁଳସୀ ଗଛ
ଦୁଆର ପାଚେରୀ ମଣିଷେ ଉଚ୍ଚ।
ଜେଜେବାପା ନିତି ସକାଳୁ ଉଠି
ପ୍ରାର୍ଥନା କରନ୍ତି ବସି ସେଇଠି
ସୂରୁଜ ଉଇଁଲେ ପୂରୁବ ଦିଗେ
ଜୁହାର କରନ୍ତି ଉଠିଣ ଆଗେ
ତାପରେ ଖବର କାଗଜ ପଢି
ଦେଶ ଦୁନିଆକୁ ଯାଆନ୍ତି ମାଡ଼ି।
କେବେ ଗଲେ ଗାଆଁ ବଜାର ବୁଲି
ଚଣାଭଜା ମୁଢ଼ିମୁଆଁ ପିଜୁଳି
ଆଣନ୍ତି ଘରକୁ ଡାକନ୍ତି ମୋତେ
ଖୁଆଇ ଦିଅନ୍ତି ଆପଣା ହାତେ
ଶରଧା ସାଙ୍ଗକୁ କଡ଼ା ଶାସନ
ଜେଜେବାପା ଜାଣିଛନ୍ତି ଏସନ।
ବାପା ମାଆ ଜେଜେମା ଭଉଣୀ
ଖାଇବା ପିଇବା ଓଷଦ ପାଣି
ଜେଜେବାପାଙ୍କର ବୁଝନ୍ତି ନିତି
ସନମାନ ସହ କରନ୍ତି ଭକ୍ତି
ସିଏ ପରା ଜେଜେବାପା ଠାକୁର
ତାଙ୍କରି ଆଶିଷେ ଘର ସୁନ୍ଦର।

ମୋ ` ଟିକି ଘର ମୋତେ ବଢିଆ
ଖରା ଶୀତ ବର୍ଷା ହେଉ ଝଡିଆ
ଆହା କେଡ଼େ ମନ ଲୋଭା
କାନ୍ଥରେ ତାହାର
ଝୋଟି ଆଙ୍କି ଦେଲେ
ବଢ଼ି ଯାଏ ତାର ଶୋଭା ।
ଟିକି ଘର କଡେ ଡୁବି ଗଡିଆ
ମାଛ ଖେଳୁ ଥାନ୍ତି ଭାରି ବଢିଆ
ଭାରି ମଜା ମୋତେ ଲାଗେ
ମାଛ ଧରିବାକୁ
ରାନ୍ଧି ଖାଇବାକୁ
ମନରେ ସରାଗ ଜାଗେ ।
ଫୁଲ ବଗିଚାଟେ ଅଛି କଡ଼ରେ
କେତେ ଫୁଲ ଫୁଟେ ଛୋଟ ବଡରେ
ବାସନା ତ ଛୁଟି ଆସେ
ଯୋଉଠି ଥିଲେ ବି
ଯାହା କରୁଥିଲେ
ମହ ମହ ହୋଇ ବାସେ ।
ଏଇ ଟିକି ଘର ପ୍ରିୟ ଆମର
ଆସିଥାଏ ଏହା କେତେ କାମର
କୋଳେ ତା ଆଶରା ଦିଏ
ସୁଖରେ ଦୁଃଖରେ
ହସରେ କାନ୍ଦରେ
ଆପଣାର କରି ନିଏ ।

ସରଳ,କୋମଳ, ନିଷ୍ପ।ପ ହୃଦୟ
ଶିଶୁଠାରୁ ମିଳେ ଶାନ୍ତି,
ପ୍ରାଣପ୍ରିୟ ଚାଚା ପରମ ବାନ୍ଧବ
ଶିଶୁଙ୍କ ମନ ଜିଣନ୍ତି ।
ପିଲାଙ୍କ ସହିତ କଲେ ଗପ ସପ
ଶୈଶବକୁ ଆସେ ଫେରି,
ମନରେ ସ୍ବଚ୍ଛତା ସରସ ସୁନ୍ଦର
ନିଜକୁ ନିଷ୍ପ।ପ ଗଢି ।
ପିଲାଙ୍କ ସହିତ ଚାହେଁ ବଞ୍ଚିବାକୁ
ମିଳେ ସ୍ୱର୍ଗୀୟ ଆନନ୍ଦ,
ପ୍ରାଣ ଭରି ଭଲ ପାଉଥିଲେ ବୋଲି
ଭୁଲି ନିଜର ବାର୍ଦ୍ଧକ୍ୟ ।
ପିଲାମାନଙ୍କର ସୁଗୁଣ ବିକାଶ
ଶୈଶବରୁ ନେବା ଦେଖି,
ଶିଶୁ ଉନ୍ନତିରେ ଦେଶର ପ୍ରଗତି
ଶକତି ଧ୍ୟାନେ ତନଖି ।
ସୁସ୍ଥ ଓ ସୁନ୍ଦର ବଳିଷ୍ଠ,ସମୃଦ୍ଧି
ସମାଜ ଗଠନ ପାଇଁ,
ଜାତିର ପରମ କର୍ତ୍ତବ୍ୟ ଶିଶୁରେ
ନିର୍ଭରଶୀଳ ହୋଇ ।
ପରିଚିତ କର ଫୁଲ,ଫଳ,ଗଛ
ପଶୁ, ପକ୍ଷୀ,ତାର।, ବନ,
ନଦୀ ଓ ପର୍ବତେ ଗଢା ଧର।ବକ୍ଷ
ହେଉ ସୁନ୍ଦର ଭୁବନ ।
ଶିଶୁଟି ହସିଲେ ଦୁନିଆଁ ଯେ ହସେ
ସାର୍ଥକ ସମାଜ ପାଇଁ,
ଶିଶୁ ପ୍ରତିଭାର ଉନ୍ମେଷ ନିମିତ୍ତ
ଶିଶୁ ଦିବସ ପାଳଇ ।
ବହୁ ଅନୁଷ୍ଠାନେ ଶିଶୁ ମହୋତ୍ସବ
ମହତ୍ ଉଦ୍ଦେଶ୍ୟ ନେଇ,
ଶିଶୁର କଲ୍ୟାଣ ସମାଜ କଲ୍ୟାଣ
ସ୍ବାସ୍ଥ୍ୟ,ଶିକ୍ଷା ଧ୍ୟାନ ଦେଇ ।
କବିତା
ଦୁଃଖୀ, ଅନାଥଙ୍କସେଵାକରିଵା
ଶରତ କୁମାରୀ ସ୍ଵାଇଁ

ଦୀପାବଳୀ ଆଜିଖୁସିରଦିନ
ଖୁସି କିନ୍ତୁ ନାହିଁ ମିକୁଲିମନ।
ସକାଳପହରୁଝରାଏଲୁହ
କାନ୍ଦିକାନ୍ଦିଫୁଲିଗଲାଣି ମୁହଁ।
ଜେଜେତାକହିଲେଵୁଲାଇନେବେ ଜେଜେମାକହିଲେଖେଳନାଦେଵେ।
ବାପାକହୁଛନ୍ତିପିଠିଆଉସି
" ସୁନାଝିଅମୋରଦେଏତୁହସି।
ବାଣକିଣିଦେବି ବଜାରନେଵି
ନୂଆଜାମାକିଣି ମିଠା ଖୋଇଵି।"
ତଥାପି ମିକୁଲି ଉଠିଲା ନାହିଁ
ମୁଁହମାଡିଶେଯେ ରହିଲାଶୋଇ।
ନାନାଜାତିପିଠାଥାଳିରେଧରି ମାଆଡାକୁଛନ୍ତିଆଦରକରି।
ପଚାରିଲେ -" କିଏତାକୁମାରିଲା?
ଵାଧିଲାପରିକାଅବାକହିଲା?"
କୁନିଝିଅ କୁହେ ପୋଛିତାଲୁହ
ବାପା,ଦାଦା,ଜେଜେସଭିଙ୍କୁକୁହ।
ଲୋଡା ନାହିଁ ମୋରଖେଳନାଜାମା
ଵାଣକିଣିବାକୁକାନ୍ଦୁନିଜମା।
ଗାଁ କଥାମନେପଡୁଛିମୋର
ନଈଵଢିକଲା କିନାରଖାର?
କୁନା,ସୁନା,ସୁନା,ଚଗଲା,ନୀଳ
ଆଜିଭଳିଦିନେ କେଡେଵିକଳ?
ଘର ନାହିଁ- ନାଁ ହିଁ ଖାଇବାପାଇଁ
ଭୋକିଲାପେଟରେ କି ହାଇ ପାଇଁ।
ବାପାଏହାଶୁଣି ଆସିଲେଚାଲି
କହିଲେ ଏବେ ମୁଁ ସଵୁଵୁଝିଲି।
ଚାଲ ଆମେ ଏବେ ଗାଁ କୁଯିଵା ପୁରୀ,କ୍ଷୀରି,ପିଠାତାଙ୍କୁ ଖୋଇଵା।
ତାଙ୍କସାଙ୍ଗେମିଶିଦୀପଜାଳିଵା
ଦୁଃଖୀ,ଅନାଥଙ୍କ ସେଵାକରିବା।

ଛୁଟିତ ଛୁଟି ଦଶରା ଛୁଟି
ସବୁ ଛୁଟିଠାରୁ ଭଲ
ଅଳପ ବରଷା ଅଳପଶୀତ
ରଙ୍ଗ ବେରଙ୍ଗର ଫୁଲ
ଆସିବୁକି ସାଙ୍ଗ ସହର ଭୁଲି
ଗାଁ' ରେ ଘେରାଏ ଯାଆନ୍ତୁ ବୁଲି
ଲାଗନ୍ତା ଟିକିଏ ଭଲ l
ସବୁଜିଆ କ୍ଷେତ ନୀଳ ପାହାଡ଼
କୂଳୁ କୂଳୁ ବିଲ ପାଣି,
ଅଂଧୁଲି, ମୁଗୁରା,ଖଇଁଚି, ବଇଚି
ଚୁନା ଚୁନା ମାଛ ଖଣି l
ଉଷୁମ ଭାତକୁ ମାଛବେସର
ମା 'କରିଛନ୍ତି ଆମ୍ବ ଆଚାର
ପାଟିରୁ ବହିବ ପାଣି l
ବଣ କଡେ ଗୋଟେ ଖାଲି ପଡିଆ
ସାଧବ ବୋହୁଙ୍କ ମେଳ
ନାଲି ମଖମଲି ସାଧବ ବୋହୂ
ଚାଲୁଥିବେ ଦଳ ଦଳ
ଯତନ କରି ହାତରେ ଧରି
ଛାଡ଼ିଦେବା ପୁଣି ଥିଇରି କରି
ସମସ୍ତେ କହିବେ ଭଲ l
ଗାଁ ରାସ୍ତା ନୁହେଁ ସହର ପରି
ଦେଖି ଚାଲିବାକୁହୁଏ
ବାଟୋଇ ମାନଙ୍କୁ ସ୍ୱାଗତ ପାଇଁ
କାଶତଣ୍ଡୀ ହସୁଥାଏ l
ଗାଁ ମୁଁଣ୍ଡେ ଅଛି ନୂଆ ପୋଖରୀ
କଇଁ ଫୁଲେ ଏବେ ରହିଛି ଭରି
ଦେଖିଲା ପରିକା ସିଏl
ଦେଖୁଥିବା ଦୂର ପାହାଡ଼ ମାଳ
ବାହାର ପିଣ୍ଡାରେ ବସି
ଧଳା ଧଳା ଯେତେ ଶରତ ମେଘ
କେମିତି ହୁଅନ୍ତି ଘଷି l
ପାଣି ଢାଳିଦେବ ବରଷାରାଣୀ
ଗଡିଯାଉଥିବ ଓଳିଚ୍ଛା ପାଣି
ଆମ ଡ଼ଙ୍ଗା ଯିବ ଭାସି l
ମନା କରିବୁନି ଆସିବୁ ସାଙ୍ଗ
ଦେଖିବା ଦଶରା ଜାତ
ମା'ରାନ୍ଧିଦେବେ ବାସ ଚାଉଳରେ
ଖାଇବା ଅରୁଆ ଭାତ
ଦେଶି ଗୁଆଘିଅ ଦେବେ ପକାଇ
କଳା ମୁଗ ଜାଇ ଡାଲମା ଖାଇ
ଗାଁ କୁ ମଣିବୁ ମିତ l
କବିତା
ଝାଇଁକି ଝମ୍ପର ଝମ୍ପର ଝାଇଁ
ଶ୍ରୀମତୀ ମନୋରମା ମିଶ୍ର

ଝାଇଁକି ଝମ୍ପର ଝମ୍ପର ଝାଇଁ
ତର ତର ହୋଇ ଆସିଲି ଧାଇଁ.
ହାଣ୍ଡିରେ ଦେଖିଲି ପଖାଳ ନାହିଁ
ବୋଉକୁ ମାଗିଲି ଖାଇବା ପାଇଁ.
ହାତ ମୁହଁ ଧୋଇ ବସିଲି ଯାଇଁ
ଆଳୁ, ବାଇଗଣ, ପିଆଜ ସାଇଁ.
ଜହ୍ନି, ସାରୁ, ପୋଇ, କଖାରୁ ରାଇ
ଖାଇସାରି ପାଠ ପଢ଼ିଲି ଯାଇ.
ନିଦ ମାଉସୀ ମୋ ଆସିଲା ଧାଇଁ
ପାଠ ପଢା ମୋର ହୋଇଲା ନାହିଁ.
ଛବି ଆଙ୍କିବାରେ ମାତିଲି ମୁହିଁ
ରଙ୍ଗ ମଣ୍ଡାଇଲି ଉପରେ ତହିଁ.
ପୂରୁବ ଦିଗରେ ସୂରୁଜ ଉଇଁ
ନୀଳ ଆକାଶକୁ ଦେଲା ରଙ୍ଗେଇ .
ଚାଷୀ ପୁଅ ଯାଏ ବିଲକୁଧାଇଁ
ନାନା ଜାତି ଚାଷ କରିବା ପାଇଁ.
ସବୁଜ କରଇ ଶୁଖିଲା ଭୂଇଁ
ଶାଗ, ମୁଗ ଜାଇ,ମଟର ଛୁଇଁ.
ବିଲେଇ ଆସିଲା ଛାତରୁ ଡେଇଁ
ମଣ୍ଡା ପିଠା ନେଇ ଗଲା ପଳେଇ.
ବାଡ଼ି ଗୋଟାଏକ ଧରିଲା ମାଇଁ
ଗୋଡ଼ାଇଲା ତାକୁ ହୋଇଣ ଛାଇଁ.
ଛାତ ତଳେ ବିଲି ବସିଲା ଯାଇଁ
ପିଠା ଖାଇ ତହୁଁ ଗଲା ପଳାଇ.
ମନ ଦୁଃଖେ ଫେରି ଆସିଲା ମାଇଁ
ପିଠାତକ ସବୁ ଦେଲା ଘୋଡାଇ.
ଚିତ୍ର ଅଙ୍କନରେ ପାଗଳ ମୁହିଁ
ଝାଇଁକି ଝମ୍ପର ଝମ୍ପର ଝାଇଁ.
କବିତା
ଦିନ- ବାର, ଋତୁ-ମାସ
ସନ୍ତୋଷ କୁମାର ସାହୁ

ସାତଟି ଦିନରେ ସପ୍ତାହ ହୁଏ
ସୁନ୍ଦର କେତେ ତା ନାମେ
ରବିବାର ଠାରୁ ଆରମ୍ଭ ହୁଅଇ
ଚାଲେ ନିତି ଅବିରାମେ l
ସୋମବାର ଆସେ ସକାଳକୁ ଘେନି
ମଙ୍ଗଳବାର ତା’ ପରେ,
ବୁଧବାର ଆସେ ହସି ହସି ପୁଣି
ଗୁରୁବାର ମନ ଭରେ।
ଶୁକ୍ରବାରର କୋଉତୁକ ଚାଲି
ଶନିବାର ମନ ମାରେ,
ସାତ ଦିନର ଗୋଲେଇ ଚକ୍ରିଟି
ଭେଟୁଥାଏ ନିତି ଘରେ l
ବାରଟି ମାସରେ ବରଷ ହୁଏ,
କେତେ ରଙ୍ଗ ତା’ ଭିତରେ,
ବୈଶାଖ ଆଣେ ଗରମ ଖରା
ଜ୍ୟେଷ୍ଠ ଜଳେ ତା’ ସାଥିରେ।
ଆଷାଢ଼ ଆଣେ କଳାଧଳା ମେଘ
ଶ୍ରାବଣରେ ବହେ ଧାରା,
ଭାଦ୍ରବରେ ସାରା ସବୁଜ ଦିଶଇ
କ୍ଷେତ ହୁଏ ମନଭରା।
ଆଶ୍ୱିନ ମାସରେ ଶାରଦୀୟ ପୂଜା,
କାଶତଣ୍ଡୀ ମାରେ ହସ,
କାର୍ତ୍ତିକ ମାସରେ ହବିଷ ପୂର୍ଣ୍ଣିମା
ପବିତ୍ର ହୁଏ ମୋ ଦେଶ।
ମାର୍ଗଶିର ମାସ ଧାନ ପେଣ୍ଡା ଧରେ
ପୌଷରେ କୁହୁଡ଼ି ଧୂଆଁ,
ମାଘମାସ ଆଣେ ମେଳାର ମେଲଣ
ଫଗୁଣରେ ଫୁଲ ଛୁଆଁ।
ଚୈତ୍ରମାସ ଆସି ବରଷକୁ ସାରେ
ବୈଶାଖ ପଛରେ ବସେ,
ବାର ମାସର ଏ ରଙ୍ଗୀନ ଚକ୍ରକୁ
ଦେଖି ଦେଖି ଧରା ହସେ।
ଛଅଟି ଋତୁରେ ଆମରି ଦେଶ
ପ୍ରକୃତିର ଛଅ ରୂପ,
ଗ୍ରୀଷ୍ମ, ବର୍ଷା ପରେ ଶରତ ଆସେ,
ହେମନ୍ତ ଦିଏ ସ୍ୱରୂପ।
ଶୀତ ଧୀରେ ଆସେ ଶିଶିରକୁ ନେଇ,
ବସନ୍ତ ଫୁଲ ଫୁଟାଏ,
ଛଅଟି ଋତୁର ଛଅଟି ଏ ରଙ୍ଗ,
ଜୀବନକୁ ମହକାଏ ।
ଦିନ–ବାର ସହ ମାସ–ଋତୁ
ପ୍ରକୃତିର ଉପହାର,
ପୁଣି ସାଥେ ଆମ ପୃଥିବୀଟା ଘୂରେ
ଧରି ଜୀବନ ସଂସାର।
କବିତା
ଆମେ ଆଙ୍କିଦେବୁ ନୂଆ ଆଲୋକ
ଅନନ୍ତ କୁମାର ସେନାପତି ।

ସୃଷ୍ଟି ହୋଇଛୁ ଏ ଧରା ପୃଷ୍ଠରେ
ଅମୃତ ତୋଳି ପାରିବୁ ଦିନେ,
ଚମକୁ ବିଜୁଳି ଆସୁ ବଜ୍ର ବାଡ଼ି
ପଛେଇବୁ ନାହିଁ ଆମ ଜୀବନେ ।
ଆମେ ଆଙ୍କିଦେବୁ ଧରଣୀ ବୁକୁରେ
ନୂଆ ସମ୍ଭାବନା, ସୃଷ୍ଟି ଧାରା,
ପୁଲକି ଉଠିବ ଦଶ ଦିଶ ଦେଶ
ଚମକି ଉଠିବ ବିଶ୍ୱ ସାରା ।
ଦୁରେଇ ପାରିବୁ ଅମା ଅନ୍ଧକାର
ଜ୍ଞାନ ର ଦୀପାଳି ଦେବୁ ଯେ ଜାଳି,
ଶସ୍ୟ ଶ୍ୟାମଳା ହୋଇବ ଏ ମାଟି
ମନ ମୁନ ଆମ ଦେବୁ ଯେ ଢ଼ାଳି ।
ପ୍ରତି ସକାଳ ରେ ସୁନା ଫୁଲ ହୋଇ
ଫୁଟିବୁ ପାଖୁଡା କେତେ ମେଲି,
ସୂରୁଜ, ଆକାଶ ଦେଖିବୁ ନୟନେ
ପବନରେ ନିତି ଝୁଲି ଝୁଲି ।
ମନ ଟିକି ସିନା ହୃଦୟେ ଆମର
ଭରିଛି ଅନେକ ନୂଆ ସପନ,
ସିନେହ, ଆଦର ଲୋଡ଼ା ଆମ ପାଇଁ
ଆମେ ଅଟୁ ପରା ଦେଶ ରତନ ।
ସବୁରି ଓଠରେ ଭରିଦେବୁ ହସ
ସତ୍ୟ ପଥରେ ଯାଇ,
ଭଲ ପଥେ ଯାଇ କରମ କରିଲେ
ସାହା ହୋଇଥିବେ ସାଇଁ ।
କବିତା
ନିଦ ମାଉସୀଲୋ ନିଦ ମାଉସୀ
ଜୟକୃଷ୍ଣ ସାହୁ

ନିଦ ମାଉସୀଲୋ ନିଦ ମାଉସୀ
ତୋ କଅଁଳ ହାତେ ଦେ ଆଉଁସି
ଗେହ୍ଲୀ କୁନୁଟାକୁ ମୋର,
ପାଠ ପଢ଼ି ପଢ଼ି ହାଲିଆ ହେଲାଣି
ଦୁଃଖ ମେଣ୍ଟିଯାଉ ତା'ର।
ଅ ଆ ଏ ଵି ସି ଡ଼ି ପଢ଼ୁଛି
ରଫ ଖାତା ଚିରି ଡଙ୍ଗା ଗଢୁଛି
ଆଙ୍କୁଛି ସେ ଶୁଆ ଶାରୀ,
କଦଳୀ କଖାରୁ ଭେଣ୍ଡି ବାଇଗଣ,
ଖାତା ପେନସିଲ୍ ଧରି।
ବରଷା ପାଣିରେ ଭସାଏ ନାଆ
କି ସୁନ୍ଦର ନାଆ ଦିଶଇ ଆହା
କହେ ନାଆ ଯାଆ ଭାସି,
ଦୋହଲି ଦୋହଲି ଭାସିଯିବା ଦେଖି
ତାଳିମାରି ହୁଏ ଖୁସି।
ନାଲି ଟୁକୁ ଟୁକୁ ସାଧବବୋହୂ
ଗୋଡ଼ କାଢିଦିଏ ରାତି ନ ପାହୁ
ତା' ସୁନ୍ଦର ରୂପ ଦେଖି,
କୁନୁ ଅଳିକରେ ଖେଳିବା ପାଇଁକି
ନିଜ ପାଖେ ପାଖେ ରଖି।
ମାଉସୀ ତୁ ନିତି ଆସିବୁ ଘର
ଭାବିବୁଲୋ କୁନୁ ଅତି ନିଜର
ଶୋଇଦେବୁ ମାଆ ପରି,
ସକାଳୁ ଉଠିଲେ ଇସକୁଲୁ ଯିବ
କେଵେ ସେ ନ କରି ଡେରି।

ଭଲ ମନଟିଏ ଦିଅ ଆହେ ପ୍ରଭୁ
ଏତିକି ମୋହର ଅଳି
କାହାମନେ କେବେ ଦୁଃଖ ଦେବି ନାହିଁ
କରିବିନି କେବେ କଳି |
ପର ଦୋଷ ନିନ୍ଦା ମନେ ନଭାବିବି
ଦେଖିବି ତା ଭଲ ଗୁଣ
ଦୁଃଖିର ଦୁଃଖରେ ସହଭାଗୀ ପାଇଁ
ମନରେ ରଖିବି ପଣ ।
ମଧୁମକ୍ଷୀକାଟି ଅତି କ୍ଷୁଦ୍ର ହୋଇ
ଉପକାର କରେ କେତେ ?
କରିକି ପାରିବି ନାହିଁ ତାପରି
ଦିଅ ଭଲ ମନ ମୋତେ ।
ଗଛଟିଏ ଯଦି ଛାଇ ଦେଇ କରି
ପଥିକକୁ ଶାନ୍ତ କରେ
ନର ହୋଇ କଣ ତାହାଠାରୁ ହୀନ
ପାରିବି ନାହିଁ କି ଥରେ ।
ତାଡ଼ାଳରୁ ପତ୍ର ଛିଣ୍ତାଇକି କେବେ
ତଳେ ପକାଇବି ନାହିଁ
ସେବା ଦେବା ପାଇଁ ଦୁଃଖିର ଖେଦରେ
ତାପରି ରହିବି ଚାହିଁ ।
ଦେଇଛ ହେ ପ୍ରଭୁ ବିଦ୍ୟା ବୁଦ୍ଧି କେତେ
ଲଗାଇବି ତାକୁ କାମେ
କର ହେ ସୁଦୟା ହେ ଦୀନବାନ୍ଧବ
ଯଶ ଉଡ଼ୁ ତୁମ ନାମେ ।
କବିତା
ଆମେ ଶିଶୁ, ଆମେ ସପନ ରାଇଜେ ଭାସୁ
ଡ. ସନାତନ ପଣ୍ଡା

ଆମେ ଶିଶୁ
ସପନ ରାଇଜେ ଭାସୁ
ଆମ ଟିକି ମନ ବିଶାଳ ଗଗନ
ଆଖିରେ ଆମର ଆଖିଏ ସପନ
ନାଚିବୁ ଗାଇବୁ ଖେଳିବୁ ଉଡ଼ିବୁ
ଜହ୍ନ ତାରା ପରି ଆମେ ଝଟକିବୁ
ଯେତେ ପଛେ ଝଡ଼ ଆସୁ ||
ଦେଖିବୁ ଶିଖିବୁ ଭାଙ୍ଗିବୁ ଗଢ଼ିବୁ
ପଡ଼ିବୁ ବଢ଼ିବୁ ଆଗକୁ ମାଡ଼ିବୁ
ଆଶା ଅସୁମାରୀ ଦିଶା ଅସୁମାରୀ
ପରିରାଇଜର କଳ୍ପନା ଆମରି
ଆମେ ଟିକି ଫୁଲ ମୂଲ ଯା ଅମୂଲ
ଚଉ ଦିଗେ ଆମେ ବାସୁ ||
ହସରେ ଆମର ମୁକୁତାର ଝର
ଖୋଜୁଟିକେ ଆମେ ସେନେହ ଆଦର )
ଆମେ ସ୍ବାଭିମାନୀ ନାହିଁ ଡର ଦ୍ଭୟ
ସେବାରେ ଜିଣିବୁ ସବୁରି ହୃଦୟ
ପ୍ରତିଭାରେ ଧରା କରିବୁ ସରଗ
ହଟାଇବୁ ଦୁଃଖ ଦେଶୁ ||

ବୃନ୍ତରେ ଥାଇ ରକ୍ତ ଗୋଲାପ
ଡାକେ ଆ' ମୁନ୍ ଆ'
ଚାଚାଙ୍କପାଇଁ ହାତ ବଢ଼େଇ
ତୋଳି ତୁ ନେଇ ଯା' ।
କୁରୁତାଟିରେ ନିତି ଗୋଲାପ
ଖୋସୁଥିଲେରେ ସିଏ
କୁନାକୁନିଙ୍କ ପ୍ରିୟ ଚାଚା ସେ
ଥିଲେରେ ଏକା ଯିଏ।
ଯିଏ"ଆନନ୍ଦ ଭବନ "ଯାଇ
ଆସିଛି ଥରେ ବୁଲି
କହିବ ଇଏ ତାଙ୍କରି ଘର
ଯାଅନି ମନୁ ଭୁଲି।
ମୋତିଲାଲ ତ ବାପାଙ୍କ ନାଆ
ମାଆ ସ୍ୱରୂପାରାଣୀ
ସାରା ଜୀଵନ ଆଦରିନେଲେ
ଶାନ୍ତି ଅହିଂସା ବାଣୀ।
ନଭେମ୍ବରର ଚଉଦଟି ତ
ଶିଶୁଦିବସ ସିନା
ପ୍ରିୟ ଚାଚାଙ୍କ ଜନମ ଦିନ
ଜାଣନ୍ତି ଲିନା ,ମୀନା।
ଜଵାହରଲାଲ ନେହେରୁ
ଚାଚାଙ୍କ ପୂରାନାମ
ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ
କଲେ ସେ କେତେ କାମ ।
ଯା ସ୍ମୃତିସ୍ଥଳ 'ଶାନ୍ତିବନ'
ନାମରେ ସିନା ଜଣା
ତାଙ୍କରି 'ପଞ୍ଚଶୀଳ' ନୀତି ଯେ
ହୁଏ ଶ୍ରେଷ୍ଠରେ ଗଣା ।
ମାନିବା ତାଙ୍କ ନୀତି ଆଦର୍ଶ
ସେ ଚାଚା ଆମ ପ୍ରିୟ
ତୁମରି ପରି ହୁଅନ୍ତୁ ଦିନେ
ଏ ଦେଶ ପୁଅ ଝିଅ ।

ଶିଶୁଙ୍କ ପାଇଁ କି ପାଳନୀୟ ତିଥି
ବରଷରେ କେଇ ଦିନ
ସେ ଦିନ ଭିତରୁ ଗୋଟିଏ ଦିବସ
ନେହେରୁଙ୍କ ଜନ୍ମଦିନ I
ନଭେମ୍ବର ମାସ ସେଇ ତାରିଖଟି
ଅଟଇ ପୁଣ୍ୟ ଚଉଦ
ଚଉଦେ ଜନମି ଥିଲେ ସେ ନେହେରୁ
ଦେଶ ଜାତି ବରପୁତ୍ର I
ପ୍ରଧାନମନ୍ତିରୀ ଥାଇ କି ନେହେରୁ
ଅତି ଶିଶୁପ୍ରିୟ ଥିଲେ
ସମୟ ଦେଖିକି ନିଜେ ସିଏ ଆସି
ଶିଶୁ ମେଳେ ରହୁଥିଲେ I
ଶିଶୁଙ୍କ କତିରେ ଶିଶୁଙ୍କ ସାଥିରେ
ରହୁଥିଲେ ବହୁ ବେଳ
ହସ ଓ ଖୁସିରେ ଶିଶୁଙ୍କ ମେଳରେ
ବିତୁଥିଲା (ତାଙ୍କ) ବେଳ କାଳ I
ଦେଶ ଓ ଦଶର ଭବିଷ୍ୟତ ଶିଶୁ
ତାଙ୍କ ହସ ଓ ଖୁସିରେ
ନିଜକୁ ସାମିଲ କରି କେତେ ଖୁସି
ନେହେରୁ ସାଉଁଟୁଥିଲେ I
ନେହେରୁଙ୍କର ସେ ଶୁଭ ଜନ୍ମଦିନ
ଶିଶୁଦିବସରେ ଗଣା
ଶିଶୁଙ୍କ ପାଇଁକି ଉତ୍ସର୍ଗୀକୃତ
ଦିବସଟି ଜଣାଶୁଣା I
ଶିଶୁଙ୍କ ବିବିଧ ଗୁଣର ବିକାଶ
ପାଇଁ ହୁଏ ପ୍ରତିଯୋଗିତା
ଶିଶୁଙ୍କଠି ଲୁଚି ରହିଥିବା କୃତି
ସଫଳତା ବାଢ଼େ ଦକ୍ଷତା I
ବ୍ଲକଠାରୁ ଜିଲ୍ଲା ରାଇଜ ପର୍ଯ୍ୟନ୍ତ
ହୋଇଥାଏ ପ୍ରତିଯୋଗିତା
କୃତୀ ଶିଶୁ ଗଣ ଗୁଣ ପ୍ରଦର୍ଶନ
କରି ପାନ୍ତି ସଫଳତା I
ଶିଶୁମାନଙ୍କର ଶିଶୁଙ୍କ ପାଇଁ କି
ଶିଶୁଦିବସ ଉଦ୍ଦିଷ୍ଟ
କେତେ କେତେ ଶିଶୁ ଦ୍ୱାରା ପ୍ରଦର୍ଶିତ
ହୁଏ କେତେ ନାଚ ଗୀତ I
ସଭାସମିତିର ହୁଏ ଆୟୋଜନ
ସେଇ ଶିଶୁଦିବସରେ
କୃତୀ ଶିଶୁଗଣ ପୁରସ୍କାର ପା'ନ୍ତି
ଶିଶୁଉତ୍ସବ ମେଳାରେ I
ପିଲାଙ୍କ ଲେଖା
କିଛି ଭଲ କାମ କରିବା
ଶେଖର କୁମାର ସ୍ବାଇଁ

ସକାଳ ହେଲାଣି ଚାଲ ସାଙ୍ଗ ସାଥି
ଯିବା ବୁଲିବାକୁ ପଡିଆ,
ପଡିଆ ପାଖରେ ଅଛି ପାଖା ପାଖି
ଛୋଟ ଗୋଟେ କୁନି ଗଡିଆ ।
କୁନି ଗଡିଆର ହୁଡ଼ାରେ ଲାଗିଛି
ଆମ୍ବ, ଜାମୁଡୋଳ ନଡ଼ିଆ,
ମିଳିମିଶି କରି ଖାଇବା ସଭିଏଁ
ଲାଗିବ ପାଟିକୁ ବଢିଆ ।
ସକାଳୁ ସକାଳୁ ବୁଲିଗଲେ ଥରେ
ଦେହକୁ ଲାଗିବ ଆରାମ,
ଖେଳ କୁଦ କରି ଫେରିବା ଘରକୁ
ଶରୀରକୁ ଦେବା ବିରାମ ।
ପାଠ ପଢା ସାଥେ ଖେଳ କୁଦ ନିତି
ଦେହକୁ ରଖିବ ନିରୋଗ,
ମୁକ୍ତ ଅମ୍ଳଜାନ ଦେହକୁ ମିଳିବ
ମନଟି ରହିବ ସରାଗ ।
ଆଜି ରବିବାର ଇସ୍କୁଲ ଯିବାନି
କିଛି ଭଲ କାମ କରିବା,
ଖାଲ ଢିପ ରାସ୍ତା ସମତୁଲ ପାଇଁ
କୋଦାଳ ଶାବଳ ଧରିବା ।
ଆସ ସାଙ୍ଗ ସାଥୀ ଭଲ କାମ ଆମେ
ଏବେ ଠାରୁ କରି ଶିଖିବା,
ପାଠ ପଢ଼ା ଆଉ ଖେଳ କୁଦ ସହ
ଗାଆଁ ନାଆଁ ଟେକ ରଖିବା ।